Unknown

 

 

 

 

 

 

 

 

 

 

ଆମ କବି

ଆମ ଲେଖକ

ଜୟଦେବ

 

ଜୟଦେବ

 

ଆଠଶହ ବରଷ ତଳର କଥା । ଆମ ରାଇଜର ନାଁ ଓଡ଼ିଶା । ଆଗେ ତାକୁ ଉତ୍କଳ ବୋଲି କୁହାଯାଉଥିଲା । ଉତ୍କଳ ଆକାରରେ ବଡ଼ ଥିଲା ଓଡ଼ିଶାଠାରୁ । ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ଯାଏ ଥିଲା ଏହାର ସୀମା । ଧନ ଧାନରେ ହସି ଉଠୁଥଲା ଏ ରାଇଜ ।

 

ଉତ୍କଳର ରାଜା ଥିଲେ ପୁରୁଷୋତ୍ତମ ଦେବ । ଗଜପତି ପୁରୁଷୋତ୍ତମ ଦେବଙ୍କ ନାଁ ଡାକ୍‌ । ସେ ଥିଲେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା । ଜଗନ୍ନାଥଙ୍କ ନାଁରେ ଚଳୁଥିଲା ଶାସନ । ରାଇଜବାସୀ ସୁଖରେ ଥିଲେ ।

 

ସେହି ସମୟର କଥା ।

 

ଗାଁ ଟିଏ ଥିଲା । ନାଁ ତାର କେନ୍ଦୁବିଲ୍ଵ । ଏବର ଓଡ଼ିଶାର ରାଜଧାନୀ ଭୁବନେଶ୍ଵର । ଏଠାରୁ ପ୍ରାୟ ୨୦-୨୨ କିଲୋମିଟର ଦୂରରେ ସେ ଗାଁ । ବାଲିପାଟଣା ପାଖରେ ସେ ଗାଁ । ଏବେ ବି ସେ ଗାଁ ରହିଛି । ଲୋକ ମୁଖରେ ତାର ନାଁ କେନ୍ଦୁଲି – କେନ୍ଦୁଲି ଶାସନ । ଗାଁ ଦୁଇ ପାଖରେ ବହି ଯାଉଛି ଦୁଇଟି ନଈ । ପ୍ରାଚୀ ଓ କୁଶଭଦ୍ରା । ନଈ ଦୁଇଟିର ମିଳନ ହୋଇଛି ଗୋଟିଏ ଜାଗାରେ । ସେ ଜାଗାର ନାଁ ତ୍ରିବେଣୀ ।

 

ଅକ୍ଷୟ ତୃତୀୟା ଦିନ ସେଠାରେ ମେଳା ହୁଏ । ସେଠାର ଠାକୁର ଗଙ୍ଗାମାଧବ । ତାଙ୍କର ପୂଜା ଆରାଧନା କରାଯାଏ । ବହୁ ଆଡ଼ୁ ଲୋକମାନେ ଆସନ୍ତି ।

 

କେଉଁ ଯୁଗରୁ ଏ ଯାତ ହୋଇ ଆସୁଛି ।

 

କେନ୍ଦୁବିଲ୍ଵ ଗାଁର ଜଣେ ବ୍ରାହ୍ମଣ । ତାଙ୍କ ନାଁ ‘ଭୋଜଦେବ’ । ‘ଭୋଜଦେବ’ ଭାରି ଗରିବ । ସେ ଥିଲେ ଜଣେ ବଡ଼ ପଣ୍ଡିତ । ଅନେକ ଶାସ୍ତ୍ର ପଢ଼ିଥିଲେ । ସେତେବେଳେ ସଂସ୍କୃତ ଭାଷାର ଭାରି ଆଦର ଥିଲା । ସବୁ ଶାସ୍ତ୍ର ପୁରାଣ ଏଇ ସସ୍କୃତ ଭାଷାରେ ଲେଖା । ଏଇ ପାଠ ଯେ ପଢ଼ିଥିଲା ତାଙ୍କୁ ପଣ୍ଡିତ କୁହାଯାଉଥିଲା । ଲୋକମାନେ ତାଙ୍କୁ ବହୁତ ଆଦର ସମ୍ମାନ କରୁଥିଲେ । ‘ଭୋଜଦେବ’ ତାଙ୍କ ଗାଁରେ ପାଠଶାଳାଟିଏ କରିଥିଲେ । ସେଠାରେ ସେ ପିଲାମାନଙ୍କୁ ପଢ଼ାନ୍ତି । ତାଙ୍କ ପାଖରୁ କିଛି କିଛି ପଇସା ମିଳେ । ସେଇଥିରେ ଚଳେ ତାଙ୍କ ପରିବାର ।

 

ପରିବାର ଭିତରେ ତାଙ୍କ ସ୍ତ୍ରୀ ‘ବାମାଦେବୀ’ । ତାଙ୍କ କୋଳରେ ପୁଅଟିଏ । ପୁଅଟିକୁ ଦୁଇ ବରଷ ପୁରି ତିନି ଚାଲିଥାଏ । ଭୋଜଦେବ ସ୍ତ୍ରୀ ଓ ପୁଅକୁ ଧରି ଆସିଥିଲେ ଯାତ ଦେଖି ।

 

ସଂଜ ହେଲା । ଗଙ୍ଗାମାଧବଙ୍କ ଆଳତି ହେଉଥାଏ । ବେଶ୍‌ ଭିଡ଼ ଜମିଥାଏ । ସେହି ତିନିବରଷର ପୁଅ ମା କୋଳରୁ ତଳକୁ ଆସିଲା । କରତାଳି ଦେଇ ନାଚିବାକୁ ଲାଗିଲା ସେ । କିପରି ଏକ ଭାବରେ ସେ ବିଭୋର ହୋଇ ନାଚୁଥାଏ ।

 

ପାଖର ଲୋକେ ଦେଖ‌ିଲେ ଏକଥା । ଏଡ଼େ ବକଟେ ପିଲା । କିପରି ଭାବରେ କରତାଳି ଦେଇ ନାଚୁଛି ! ସଭିଏ ଆଚମିତ ହୋଇ ଦେଖ‌ିଲେ । ସେଠାରେ ଥିଲେ ଅନେକ ପୁରୁଣାକାଳର ଲୋକ । ସେହି ବୁଢ଼ା ବୁଢ଼ା ଲୋକମାନଙ୍କ ଆଖି ଖୋସି ହୋଇଗଲା । ସେମାନେ କହିଲେ ଏ ପିଲାଟିର ଭକ୍ତିଭାବ ରହିଛି । ବଡ଼ ହେଲେ ସେ ଜଣେ ବଡ଼ ଭକ୍ତ ହେବ ।

 

ସେହି ପିଲାଟିର ନାଁ ଜୟଦେବ ।

 

ସେଦିନର କଥା ସତ ହେଲା । ପିଲାଟି ବଡ଼ ହେଲା । ସେ ହେଲା ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ । ସାରା ଦେଶର ଲୋକେ ତାଙ୍କ ନାଁ ଜାଣିଲେ । ବାହାବାହା କଲେ । ତାଙ୍କ ପାଇଁ ଆମ ରାଇଜ କଥା ସାରା ଦେଶର ଲୋକେ ଜାଣିଲେ । ସାରା ଭାରତର ଲୋକେ ତାଙ୍କୁ ମାନ୍ୟ କଲେ । ତାଙ୍କର ସୁଖ୍ୟାତି ସାରା ଦେଶରେ ଖେଳିଗଲା ।

 

ପଡ଼ୋଶୀ ରାଇଜର ଲୋକେ ଏକଥା ସହି ପାରିଲେ ନାହିଁ । ସେମାନେ ଦାବି କଲେ । କହିଲେ ଜୟଦେବ ଆମ ରାଇଜର କବି । ସେଥିପାଇଁ ବିବାଦ ଲାଗିଲା । ଏଯାଏ ସେ ବିବାଦ ତୃଟି ନାହିଁ । ପଡ଼ୋଶୀ ରାଇଜର ଲୋକେ ତାଙ୍କୁ ତାଙ୍କ ରାଇଜର ଲୋକ ବୋଲି ଦାବି କରି ଚାଲିଛନ୍ତି ।

 

ଜୟଦେବଙ୍କୁ ପାଞ୍ଚବରଷ ହେଲା । ସେ ଗଲେ ପାଠ ପଢ଼ିବାକୁ । ତାଙ୍କ ବାପାଙ୍କ ପାଠଶାଳାରେ ସେ ପାଠ ଆରମ୍ଭ କଲେ । ସେଠାରେ ସଂସ୍କୃତ ପଢ଼ା ଯାଉଥିଲା । ସେ ସଂସ୍କୃତ ପଢ଼ିଲେ । ଦିନ କେଇଟାରେ ସେ ସଂସ୍କୃତ ପାଠ ଜାଣିଗଲେ । ସଂସ୍କୃତ ଏକ କଷ୍ଟକର ଭାଷା । ଏଥ‌ିରେ ବହୁକଥା ମନେରଖିବାକୁ ହୋଇଥାଏ । ଜୟଦେବ ସବୁକଥା ମନେ ରଖିଲେ । ସଂସ୍କୃତ ଭାଷାରେ ତାଙ୍କର ପଟୁତା ଆସିଗଲା । ତାଙ୍କ ସାଙ୍ଗରେ ପଢ଼ୁଥିଲେ ଆହୁରି କେତେ ପିଲା । ସେମାନେ ପଛରେ ପଡ଼ିଗଲେ । ଜୟଦେବ ହେଲେ ଆଗୁଆ ।

 

ବାପା ଭୋଜଦେବଙ୍କ ଦେହ ଖରାପ ହେଲା । ଜରରେ ସେ କିଛିଦିନ ଘରେ ପଡ଼ିଲେ । ପଡ଼ିଲେ ଯେ ଆଉ ଉଠିଲେ ନାହିଁ । ଦେହ ବେଶୀ ଖରାପ ହେଲା । ସେ ସେପୁରକୁ ବାଟ କାଟିଲେ । ଘରେ ରହିଲେ ତାଙ୍କ ମା’ ବାମାଦେବୀ । ତାଙ୍କୁ ଚାରିଆଡ଼େ  ଅନ୍ଧାର ଦେଖାଗଲା । ସେ ଦୁଃଖରେ ଭାଙ୍ଗି ପଡ଼ିଲେ । କିପରି ଚଳିବେ ଜାଣି ପାରିଲେ ନାହିଁ । ତାଙ୍କର କିଛି ଜମିବାଡ଼ି ନ ଥିଲା । ଏଇ ପାଠଶାଳା ଥିଲା ତାଙ୍କର ଅବଲମ୍ବନ । ସେତକ ଚାଲିଗଲା । ସେ ନିରାଶ୍ରୟ ହୋଇଗଲେ ।

 

ମାସ କେଇଟା ଯାଇଛି । ସେ ମଧ୍ୟ ଆରପୁରକୁ ଚାଲିଗଲେ । ‘ଜୟଦେବ’ଙ୍କୁ ସେତେବେଳେ ଆଠବରଷ । ଆଉ କେହି ସାହା ଭରସା ନାହିଁ । ବାପା ମା’ ଡକାଡକି ହୋଇ ଚାଲିଗଲେ । ବାଳୁତ ପୁଅ । କେହି ଟିକେ ପଛକୁ ଚାହିଁଲେ ନାହିଁ । କିପରି ଚଳିବ ଏ ପିଲା ? କିଏ ବୁଝିବ ତା ଖବର ? କିଏ ପୋଛି ଦେବ ତା ଆଖରୁ ଲୁହ ?

 

‘ଜୟଦେବ’ ନିରାଶ୍ରୟ । ଇଆଡ଼େ ସିଆଡ଼େ ବୁଲନ୍ତି । କିଏ କ’ଣ ଦେଲା ଖାଆନ୍ତି । ନହେଲେ ଉପାସ । ଭୋଜଦେବଙ୍କର ଜଣେ ସାଙ୍ଗ ଥିଲେ । ତାଙ୍କୁ ବାଧିଲା ଏକଥା । ସେ ‘ଜୟଦେବ’ଙ୍କୁ ଆସି ନେଇଗଲେ । ରଖିଲେ ତାଙ୍କ ଘରେ । ତାଙ୍କର ପୁଅଟିଏ ଥିଲା । ନାଁ ତାର ‘ପରାଶର’ । ଦୁହିଁଙ୍କ ବୟସ ପ୍ରାୟ ଏକା । ସେ ପୁଅ ଦୁହିଁଙ୍କୁ ପାଳିଲେ ।

 

ଜୟଦେବ ପୁଣି ଗଲେ ପାଠଶାଳାକୁ I ପରାଶରଙ୍କ ସହ ସେ ସାଙ୍ଗ ହୋଇ ପଢ଼ିଲେ । ଦୁହିଁଙ୍କ ଭିତରେ ବେଶ୍‌ ବଂଧୁତା ହୋଇଗଲା ।

 

            ପରାଶରଙ୍କ ବାପା ମରିଗଲେ ।

 

ଡାଳ ପରେ ଡାଳ ଭାଙ୍ଗିପଡ଼ିଲା । ସେମାନଙ୍କ ପାଠ ପଢ଼ା ବନ୍ଦ ହୋଇଗଲା । ଜୟଦେବ ପରାଶରଙ୍କ ଘର ଛାଡ଼ି ଦେଲେ । ସେ ପଳାଇ ଆସିଲେ । କୁଆଡ଼େ ଯିବେ ତାହାର ଠିକଣା ନ ଥିଲା । ଯୁଆଡ଼େ ମନ ହେଲା ସେଆଡ଼େ ଗଲେ ।

 

ସେ ବୁଲିବୁଲି ଗୋଟିଏ ଗାଁକୁ ଆସିଲେ । ଗାଁ ପାଖରେ ଥିଲା ଗଛଟିଏ । ସେଇ ଗଛମୂଳେ ଆସି ରହିଲେ । ପଥର କେଇଟି ଗୋଟାଇ ଆଣିଲେ । ଥୋଇଲେ ଗଛମୂଳେ । ସେହି ପଥରକୁ ପୂଜା କଲେ । ପଥର ପାଖରେ ବସି ହେ କୃଷ୍ଣ ହେ କୃଷ୍ଣ ବୋଲି କହିବାକୁ ଲାଗିଲେ । ସବୁବେଳେ ସେଇ ନାମ ଜପ କଲେ । ରାତିଦିନ କିଛି ମାନିଲେ ନାହିଁ । ବେଳେ ବେଳେ ସେ କୃଷ୍ଣ କୃଷ୍ଣ କହି ନାଚିବାକୁ ଲାଗିଲେ ।

 

ଏକଥା ଦେଖି ଲୋକମାନେ ହସିଲେ । ତାଙ୍କୁ ପାଗଳ ବୋଲି ଭାବିଲେ । ତାଙ୍କର ବ୍ୟବହାର ପାଗଳ ପରି ହୋଇଗଲା । ସେ କାହାକୁ କିଛି କହନ୍ତି ନାହିଁ । ପ୍ରାଚୀ ନଈ କୂଳରେ ବସନ୍ତି । ମୁଖରେ କୃଷ୍ଣ ନାମ । ସବୁବେଳେ ସେଇ ନାମ ମୁଖରେ ରହିଥାଏ । ଗଛରେ ଲେଖନ୍ତି ସେଇନାମ । ଘର କାନ୍ଥରେ ବି ଲେଖନ୍ତି କୃଷ୍ଣନାମ । ବେଳେ ବେଳେ କ’ଣ ଭାବି ଭୋ ଭୋ କରି କାନ୍ଦନ୍ତି । କାନ୍ଦିକାନ୍ଦି କହନ୍ତି “ହେ ରାଧାମାଧବ’’ ମୋ ଡାକ କ’ଣ ଶୁଭୁ ନାହିଁ ? ତମେ କ’ଣ କାଲ ହୋଇଗଲଣି । କେତେ ଦୂରରେ ଅଛ ଯେ ମୋ ଡାକ ଶୁଣିପାରୁନା । ମୋତେ ଦେଖାଦିଅ । ଥରେ ହେଲେ ଦେଖା ଦିଅ ପ୍ରଭୁ । ଆଉ କେତେ ଦିନ ଡାକିବି । କେବେ ମୋତେ ଦେଖାଦେବ ପ୍ରଭୁ ।

 

ଲୋକମାନେ ଏକଥା ଦେଖୁଥାନ୍ତି । ସେମାନେ ଏକଥା ଦେଖି ଭାବିଲେ, ପିଲାଟା ପାଗଳ ହୋଇଗଲା ।

 

ସେତେବେଳେ ତାଙ୍କର ଯୁବକ ଅବସ୍ଥା । ଖିଆପିଆର କିଛି ଠିକଣା ନ ଥାଏ । ରହିବାକୁ ମୁଣ୍ଡ ଉପରେ ଚାଳ ନଥାଏ । ରହୁଥାନ୍ତି ସେଇ ଗଛମୂଳେ । କାହାକୁ କିଛି ହେଲେ କହନ୍ତି ନାହିଁ । ଲୋକେ ଆଉ ଭାବନ୍ତେ କ’ଣ ଯେ ?

 

            ଦିନକର ରାତି । ଜୟଦେବ ଶୋଇଛନ୍ତି । ନଈକୂଳର ସେଇ ଗଛତଳେ ସେ ସପନ ଦେଖ‌ିଲେ । ସପନରେ ଜଣେ କେହି ତାଙ୍କ ପାଖକୁ ଆସିଲେ । ସେ ତାଙ୍କୁ କହିଲେ—ଏଇ ତ୍ରିବେଣୀ ଘାଟକୁ ଯା । ଘାଟର ଦଶ ପାହାଚ ତଳକୁ ଯିବୁ । ଡାହାଣ ହାତ, ପାହାଚ ଶେଷକୁ ଯାଇଁ ଖୋଜିବୁ । ଯାହା ପାଇବୁ ତାକୁ ଆଣିବୁ । ତାକୁ ପୂଜା କରିବୁ ।”

 

ରାତି ପାହିଲା । ତାଙ୍କ ନିଦ ଭାଙ୍ଗିଗଲା । ସେ ଦୌଡ଼ିଲେ ନଈ କୂଳକୁ । ମୁହଁରେ ଗୋଟିଏ ଶବ୍ଦ, ‘ହେ କୃଷ୍ଣ ହେ କୃଷ୍ଣ’ । ସେ ପାଣି ଭିତରୁକୁ ପଶିଲେ । ଠିକ୍‌ ଦଶ ପାହାଚ ତଳକୁ ଯାଇଁ ଖୋଜିଲେ । ସେ ପାଇଲେ ଗୋଟିଏ ପ୍ରତିମା । ରାଧାକୃଷ୍ଣଙ୍କ ଯୁଗଳ ମୂରତି । ଜୟଦେବଙ୍କ ଆନନ୍ଦ ଆଉ ଦେଖେ କିଏ ? ସେ ମଥା ଉପରେ ଧରିଲେ ଠାକୁରଙ୍କୁ । ତାପରେ ନାଚିବାକୁ ଲାଗିଲେ ସେ ।  ସେ ଫେରିଲେ ସେହି ଗଛମୂଳକୁ । ଏଇଠି ସେ ଅନେକ ଦିନ ହେଲା ବସୁଥିଲେ। ସେ କୁଡ଼ିଆଟିଏ କଲେ । ତାଙ୍କ ଠାକୁରକୁ ସେଇଠି ଥାପିଲେ । ଏଥର ତାଙ୍କ ମନରେ ଶାନ୍ତି ଆସିଲା-। ସେ ଠାକୁରଙ୍କୁ ପୂଜା କଲେ । ମନପ୍ରାଣ ଦେଇ ସେ ପୂଜା ଆରମ୍ଭ କଲେ ।

 

ପୂଜା ପାଇଁ ତାଙ୍କ ପାଖରେ କିଛି ନଥିଲା । ସେ ପୂଜା କରିବାକୁ ବସନ୍ତି । ବସି ବସି ଖାଲି କାନ୍ଦନ୍ତି । କାନ୍ଦି କାନ୍ଦି କହନ୍ତି— ‘ହେ ରାଧାମାଧବ ମୋର ଘର ନାହିଁ, ଆଶରା ନାହିଁ, ତୋ ପୂଜା ପାଇଁ ମୋ ପାଖରେ କିଛି ନାହିଁ । ତୋ ପାଇଁ ମନ୍ଦିର କରିବି କିପରି ? ତୁ ମୋ ପାଖକୁ ଆସିଲୁ କାହିଁକି ? ତୋତେ ରଖିବି କେଉଁଠି ? ତୋତେ ପୂଜା କରିବି କିମିତି ? ଇମିତି କହି ସେ ଖାଲି କାନ୍ଦନ୍ତି ।

 

ତାଙ୍କ ପୂଜା ଏହିପରି ଚାଲିଲା । ପୂଜା ବେଳେ ଶଙ୍ଖ ବାଜେ ନାହିଁ । ଫୁଲ, ଭୋଗ ଦରକାର ହୁଏ ନାହିଁ I ଲୋଡ଼ା ହୁଏ ନାହିଁ ଦୂବ, ଅରୁଆ ଚାଉଳ ଆଉ ଧୂପ, ଦୀପ । ଜୟଦେବ ଠାକୁରଙ୍କ ଆଗରେ ହାତଯୋଡ଼ି ବସନ୍ତି । ହେ କୃଷ୍ଣ, ହେ କୃଷ୍ଣ କହୁଥାନ୍ତି । ଆଖିରୁ ବହୁଥାଏ ଧାରଧାର ଲୁହ । ବେଳେ ବେଳେ ସେ ଭୂଇଁରେ ଗଡ଼ି ଯାଆନ୍ତି । ଆଉ କେତେବେଳେ ହାତକୁ ଉପରକୁ ଟେକି ନାଚନ୍ତି । କରତାଳି ବଜାନ୍ତି । ପୁଣି କେବେ କେବେ ରାଧାକୃଷ୍ଣଙ୍କୁ ଛାତିରେ ଜାକି ଧରନ୍ତି । ଏହିପରି ପାଗଳ ପରିକା ହୋଇଗଲା ତାଙ୍କ ଆଚାର ବେଭାର ।

 

ଏକଥା ଲୋକମାନେ ଦେଖିଲେ । ସେମାନେ ଆହା ଆହା କଲେ । କହିଲେ, କେଡ଼େ ସୁନ୍ଦର ଯୁବକଟିଏ । କି ସୁନ୍ଦର ଚେହେରା । ବିଚରା ପାଗଳ ହୋଇଗଲା । ଧରମର କି ବିଚାର !

 

ପୁରୀର ଜଗନ୍ନାଥ ମନ୍ଦିର । ସାରା ଦେଶରେ ଏ ମନ୍ଦିରର ନାଁ । ଜଗତରନାଥ ଜଗନ୍ନାଥ ବିଜେ କରିଛନ୍ତି । କେଉଁ କାଳରୁ ଏ ମନ୍ଦିରକୁ ଲୋକ ଆସୁଛନ୍ତି ।

 

ସେତେବେଳେ ରେଳ, ମଟର, ଆଦି ଯାନ ନଥିଲା । ଲୋକମାନେ ପାଦରେ ଆସୁଥିଲେ ପୁରୀ । କାହିଁ କେତେ ଦୂରକୁ ଆସୁଥିଲେ ସେମାନେ । ଥରେ ଦଳେ ଯାତ୍ରୀ ସେଇ ବାଟ ପୁରୀ ଯାଉଥିଲେ । ରାତିରେ ସେମାନେ ରହିଲେ କେନ୍ଦୁଲିରେ । ସେମାନେ ଦେଖଲେ ପାଗଳ ପରି ବୁଲୁଥିବା ଜୟଦେବଙ୍କୁ । ସେମାନେ ଧାର୍ମିକ ଲୋକ । ଯୁବକର ଏପରି ହାବଭାବ ସେମାନଙ୍କୁ କିପରି ଆଶ୍ଚର୍ଯ୍ୟ ଲାଗିଲା । ଏ ପ୍ରକାର ହାବଭାବ ପାଗଳର ହୋଇପାରେ ନା । ଏପରି ପାଗଳାମି ଭକ୍ତି ଭାବନା ଯୋଗୁ ହୋଇଥାଏ । ସେମାନେ ମନେକଲେ ଯୁବକଟି ଭକ୍ତିଭାବରେ ଭୋଳ ରହୁଛନ୍ତି । ସେଥିପାଇଁ ଦୁନିଆ କଥାକୁ ନଜର ରଖି ପାରୁ ନାହାନ୍ତି । ସାଧାରଣ ଲୋକେ ବୁଝନ୍ତି ନାହିଁ ଏକଥା । ତେଣୁ ସେମାନେ ତାଙ୍କୁ ପାଗଳ ବୋଲି କହୁଛନ୍ତି ।

 

ସେମାନେ ଜୟଦେବଙ୍କୁ ପାଖକୁ ଡାକିଲେ । ତାଙ୍କ ସହ ଗପ ସପ କଲେ । ତାଙ୍କର ଭକ୍ତି ଭାବନା ଜାଣି ପାରିଲେ । ତାଙ୍କୁ ବହୁତ ଆଦର କଲେ ।

 

ଜୟଦେବ ପଚାରିଲେ— ‘‘ତମେ କୁଆଡ଼େ ଯିବ” ? ଯାତ୍ରୀମାନେ କହିଲେ— ‘‘ଆମେ ଯାଉଛୁ ଶ୍ରୀକ୍ଷେତ୍ର- ପୁରୀ । ତମେ ଆମ ସହ ଯିବକି ? ଯିବ ଯଦି ଚାଲ । ଆମେ ତମକୁ ନେଇଯିବୁ ସାଙ୍ଗରେ ।’’

 

ଜୟଦେବ ରାଜି ହେଲେ । ସକାଳ ହେଲା । ଯାତ୍ରୀମାନେ ବାହାରିଲେ । ଜୟଦେବ ତାଙ୍କ ଠାକୁର ରାଧାମାଧବଙ୍କୁ ମୁଣ୍ଡରେ ଧରିଲେ । ସେମାନଙ୍କ ସହ ଚାଲିଲେ ପୁରୀ ।

 

ଜୟଦେବ ପହଞ୍ଚିଲେ ପୁରୀରେ । ବଡ଼ ଦାଣ୍ଡରେ ଥିଲା ଏକ ବରଗଛ । ତା’ରି ମୂଳରେ ସେ ରହିଲେ । ସେଇଠି ରଖିଲେ ତାଙ୍କ ଠାକୁର, ରାଧାମାଧବଙ୍କୁ । ସେଇ ଗଛମୂଳରେ ସେ ବସିଥାନ୍ତି । ଯିଏ ଯାହା ଦେଲା, ଖାଆନ୍ତି । ରାତିରେ ଶୁଅନ୍ତି ସେଇ ଗଛତଳେ ।

 

ଦିନକର ରାତି । ସେ ଗୋଟିଏ ସପନ ଦେଖିଲେ । ସେ ଦେଖ‌ିଲେ, ତାଙ୍କ ରାଧାମାଧବଙ୍କ ଦେହରୁ ଏକ ଆଲୁଅ ବାହାରିଲା । ସେ ଆଲୁଅ ହୋଇଗଲା ଗୋଟିଏ ସ୍ତ୍ରୀ ଲୋକ । ସ୍ତ୍ରୀ ଲୋକ ଜଣକ ଚାଲିଚାଲି ତାଙ୍କ ପାଖକୁ ଆସିଲା । ଆସି ଜୟଦେବଙ୍କୁ ଓଳଗି ହେଲା । ତା’ପରେ ଫେରିଗଲା । ଫେରିଯାଇଁ ମିଶି ଗଲା ରାଧାମାଧବଙ୍କ ଦେହରେ ।

 

ସକାଳ ହେଲା । ସବୁଦିନ ପରି ସେ ତାଙ୍କ କାମ କଲେ । ବସି ରହିଲେ ଗଛତଳେ। ତାଙ୍କ ପାଖରେ ପହଞ୍ଚିଲେ ତିନିଜଣ ଲୋକ, ବାପା, ମା ଓ ତାଙ୍କର ଝିଅ । ଝିଅଟି ଆସି ଜୟଦେବଙ୍କ ପାଦତଳେ ପଡ଼ିଲା । ଜୟଦେବ ଚକିତ ହୋଇଗଲେ । ଇଏ କ’ଣ ସେ ଦେଖୁଛନ୍ତି ? ଇଏ ତ ସେଇ ଝିଅ ! ଅବିକଳ ସେଇ ରୂପ ! କାଲି ରାତିରେ ସେ ଏଇ ଝିଅକୁ ସପନରେ ଦେଖିଥିଲେ ।

 

ଝିଅର ବାପାଙ୍କ ନାଁ ଦେବଶର୍ମା । ତାଙ୍କ ଘର ଦକ୍ଷିଣ ଦେଶରେ । ତାଙ୍କର କିଛି ପିଲାପିଲି ହେଉନଥିଲେ । ସେଥିପାଇଁ ତାଙ୍କ ମନରେ ବହୁତ ଦୁଃଖ ଥିଲା । ସେ ଆସିଲେ ପୁରୀ । ଜଗତର ନାଥ ଜଗନ୍ନାଥଙ୍କ ପାଖରେ ମାଗୁଣି କଲେ । ଆତୁରରେ ଜଣେଇଲେ ତାଙ୍କ ଦୁଃଖ । ତାଙ୍କ କୋଳକୁ ପିଲାଟିଏ ଆସୁ । ପୁଅ ହେଲେ ସେ ତାକୁ ଠାକୁରଙ୍କ ସେବକ କରିବେ । ଝିଅ ହେଲେ ସେ ହେବ ପ୍ରଭୁଙ୍କ ସେବକୀ । ଠାକୁରଙ୍କ ସେବା ଖଟିବ ସେ ।

 

ଠାକୁରେ ଡାକ ଶୁଣିଲେ । ତାଙ୍କ ପ୍ରାର୍ଥନା ପୂରଣ ହେଲା । ପୁରୀରୁ ଗଲା ପରେ ତାଙ୍କ କୋଳକୁ ଝିଅଟିଏ ଆସିଲା । ସେ ତା ନାଁ ରଖିଲେ ‘ପଦ୍ମାବତୀ’ ।

 

ଦେବଶର୍ମା ତାକୁ ଆଦରରେ ବଢ଼ାଇଲେ । ଝିଅର ରୂପ ଥିଲା ବହୁତ ସୁନ୍ଦର । ସେ ତାକୁ ନାଚ ଓ ଗୀତ ଶିଖାଇଲେ । ସେ ଭଲ ଗୀତ ଗାଇଲା । ଭଲ ନାଚ ମଧ୍ୟ ଶିଖିଗଲା । ପଦ୍ମାବତୀର ଡଉଲ ଡାଉଲ ରୂପରେ ଟିକେ ଖୁଣ ନଥିଲା । ଦେଖ‌ିଲେ ଆଖି ଲାଖି ଯିବ । ଦେବକନ୍ୟା ପରି ସେ ଥିଲା ସୁନ୍ଦରୀ ।

 

ବୟସ ବଢ଼ିଲା । ପଦ୍ମାବତୀକୁ ଷୋହଳ ବର୍ଷ ହେଲା । ବାପା ମା’ଙ୍କର ସେ ଥିଲା ନୟନ ପିତୁଳି । ତାକୁ ସେମାନେ ବହୁତ ଭଲ ପାଉଥିଲେ । ଘଡ଼ିକ ପାଇଁ ବି ତାକୁ ଆଖି ଆଗରୁ ଛାଡ଼ନ୍ତି ନାହିଁ । ସେ ହୋଇଗଲା ସେମାନଙ୍କ ଜୀବନ ।

 

ମମତାର ବନ୍ଧନ ବଡ଼ ଟାଣ । ସେ ବନ୍ଧନରେ ବାନ୍ଧି ହେଲେ କିଛି କଥା ମନେ ରହେ ନାହିଁ-। ଦେବଶର୍ମାଙ୍କର ସେଇଆ ହେଲା । ସେ ପଣ କରି ଯାଇଥିଲେ ପୁରୀରେ । ଜଗନ୍ନାଥଙ୍କ ପାଖରେ-। ଝିଅ ହେଲେ ସେ ତାକୁ ସେବା ଦାସୀ କରିବେ । ସେ କଥା ସେ ଭୁଲିଗଲେ ।

 

ଦିନକର କଥା । ତାଙ୍କ ଘରକୁ ଜଣେ ସାଧୁ ଆସିଲେ । ପଦ୍ମା ତାଙ୍କୁ ଭିକ ଆଣି ଦେଲା । ସାଧୁ ଦେଖିଲେ ତାଙ୍କୁ । ତା ପରେ ସେ ଦେବଶର୍ମାଙ୍କୁ ଡାକିଲେ । ତାଙ୍କୁ କହିଲେ, “ଏ ଝିଅ ଠାରେ ଦେବୀଙ୍କ କଳା ରହିଛି । ସେ ଦେବ ଅଂଶ ନେଇ ଜନମ ହୋଇଛି । ତାକୁ ତମେ ଘରେ ରଖିଛ କାହିଁକି ?” 

 

ଦେବଶର୍ମାଙ୍କର ମନେ ପଡ଼ିଲା ପୁରୀରେ କହିଥିବା କଥା ତାଙ୍କର ହେଜ ଆସିଲା । ହେଜ ଆସିଲା ସିନା, ମମତା କିନ୍ତୁ ଛାଡ଼ିଲା ନାହିଁ । ଏପରି ଝିଅକୁ ଛାଡ଼ିବାକୁ ମନ ହେଲା ନାହିଁ ତାଙ୍କର ।

 

ସାଧୁ ଚାଲିଗଲେ । ଦେବଶର୍ମା କଥାକୁ ଗଡ଼େଇ ଦେଲେ । ହଠାତ୍‌ ପଦ୍ମାଙ୍କ ଦେହ ଖରାପ ହେଲା । ସେ ବିଛଣାରେ ପଡ଼ି ରହିଲେ । କବିରାଜ ଆସିଲେ । ଓଷଧ ଦିଆଗଲା । କିନ୍ତୁ ଦେହ ଭଲ ହେଲା ନାହିଁ । ଦିନକୁ ଦିନ ବଢ଼ିଲା । ମନେ ହେଲା ସେ ଆଉ ବଞ୍ଚିବେ ନାହିଁ ।

 

ଦେବଶର୍ମାଙ୍କ ମୋହ ତୁଟିଗଲା । ସେ ଜଗନ୍ନାଥଙ୍କୁ ଜଣେଇଲେ । ‘‘ହେ ପ୍ରଭୁ, ହେ କରୁଣାସାଗର, ମୋ ଝିଅର ଦେହ ଭଲ କରି ଦିଅ । ସେ ତମର ସେବିକା । ତମ ସେବିକାକୁ ତମ ପାଖକୁ ପଠାଇ ଦେବି ।”

 

ସକାଳ ହେଲା । ପଦ୍ମାଙ୍କ ଦେହ ଭଲ ହୋଇଗଲା । ସେ ଉଠି ବସିଲେ । ସତେ ଯେପରି ତାଙ୍କର କିଛି ରୋଗ ବଇରାଗ ହୋଇନଥିଲା ।

 

ଦେବଶର୍ମା ଆସିଲେ ପୁରୀ । ସାଙ୍ଗରେ ତାଙ୍କ ସ୍ତ୍ରୀ ଓ ଝିଅ ପଦ୍ମାବତୀ । ପଦ୍ମାବତୀଙ୍କୁ ଦେବଦାସୀ ଭାବେ ଠାକୁରଙ୍କ ସେବାରେ ଅର୍ପଣ କରାଗଲା । ସେ ବଡ଼ଦେଉଳରେ ନାଚ କଲେ । ପ୍ରଭୁ ଜଗନ୍ନାଥଙ୍କ ଆଗରେ ।

 

ବାପା ମା’ଙ୍କ ସହ ରହୁଥାନ୍ତି ପଦ୍ମାବତୀ । ଦେବଶର୍ମା ଦିନେ ରାତିରେ ସପନ ଦେଖ‌ିଲେ । ଜଣେ ଦିବ୍ୟପୁରୁଷ ତାଙ୍କ ପାଖକୁ ଆସିଲେ । କହିଲେ, ବଡ଼ଦାଣ୍ଡର ବରଗଛ ମୂଳେ ବସିଛନ୍ତି ଜଣେ ଯୁବକ । ସେହି ଯୁବକଙ୍କ ସହ ପଦ୍ମାବତୀଙ୍କୁ ବିବାହ କରି ଦିଅ ।

 

ସକାଳ ହେଲା । ଦେବଶର୍ମା ଝିଅକୁ ଧରି ଆସି ପହଞ୍ଚିଲେ ସେହି ବରଗଛ ମୂଳେ । ସେଇ ବରଗଛ ତଳେ ବସିଥିଲେ ‘ଜୟଦେବ’ ।

 

‘ଜୟଦେବ’ଙ୍କୁ ସପନ କଥା କହିଲେ ଦେବଶର୍ମା । ଜୟଦେବ ଶୁଣିଲେ ସବୁକଥା । ସେ କହିଲେ— ମୋର କିଛି ହେଲେ ସମ୍ବଳ ନାହିଁ । ଏଇ ବରଗଛ ତଳେ ପଡ଼ିଛି । ଖାଇବା ପିଇବାର କିଛି ଠିକ୍‌ ଠିକଣା ନାହିଁ । ମୁଁ ଏ ଝିଅକୁ ବିବାହ କରିବି କିପରି ? ସେ ରହିବେ କେଉଁଠି ? ଖାଇବେ କ’ଣ ?’’

 

ଦେବଶର୍ମା କହିଲେ— ‘‘ସପନରେ ମୋତେ ଏଇ ବରଗଛ କଥା କହିଛନ୍ତି ଠାକୁରେ । ତାଙ୍କର ଆଦେଶ । ମୁଁ ତାଙ୍କ ଆଦେଶ ପାଳନ କରୁଛି । ଏ ଝିଅ ଏଇଠି ରହିଲା । ତମେ ଯଦି ପାରିବ, ତେବେ ଠାକୁରଙ୍କ ଆଦେଶକୁ ଅମାନ୍ୟ କର । ମୁଁ ପାରିବି ନାହିଁ ।’’

 

ଏତକ କହି ସେ ଚାଲିଗଲେ । ପଦ୍ମାବତୀ ବସି ରହିଲେ ଯେ ବରଗଛ ମୂଳେ । ଜୟଦେବ ବିଷମ ସମସ୍ୟାରେ ପଡ଼ିଲେ । ତାଙ୍କୁ କିଛି ବୁଦ୍ଧିବାଟ ଦେଖାଗଲା ନାହିଁ । ସେ ଠାକୁରଙ୍କ ଆଦେଶକୁ କିପରି ଅମାନ୍ୟ କରିବେ ?

 

ଶେଷକୁ ସେ ପଦ୍ମାବତୀଙ୍କୁ ବିବାହ କଲେ ।

 

ବରଗଛ ତଳେ କୁଡ଼ିଆଟିଏ କରାଗଲା । ପଦ୍ମାବତୀଙ୍କ ସହ ଜୟଦେବ ସେହି କୁଡ଼ିଆରେ ରହିଲେ । ରାଧାମାଧବ ଠାକୁରଙ୍କୁ ରଖାଗଲା କୁଡ଼ିଆ ଭିତରେ । ସେଇଠାରେ ତାଙ୍କର ପୂଜା ଭଲଭାବେ କରାଗଲା ।

 

ପଦ୍ମାବତୀ ଭଲ ଗୀତ ଗାଇ ପାରନ୍ତି । ଠାକୁରଙ୍କ ଆଗରେ ସେ ଭଜନ ଗାଆନ୍ତି । ଖୁବ୍‌ ମଧୁର ସେ ଗୀତ । ଜୟଦେବ ପୂଜା କରନ୍ତି । ଆଳତି କରନ୍ତି ।

 

ଯୁବକ ଜୟଦେବଙ୍କର ପରିବର୍ତ୍ତନ ହେଲା । ସେ ଆଗପରି ହେଲେ ନାହିଁ । ତାଙ୍କ ପାଗଳାମି ଚାଲିଗଲା । ସେ ନିରବରେ ବସିଲେ । ଜପତପ କଲେ । ଧ୍ୟାନ ଧାରଣାରେ ତାଙ୍କ ବେଳ କଟିଲା । ରାଧାମାଧବଙ୍କ ରୂପକୁ ଧ୍ୟାନ କଲେ । ତାଙ୍କ ଲୀଳାକୁ ସେ ଅନୁଭବ କଲେ । ତାଙ୍କ ହୃଦଭିତରେ ଶିହରଣ ଖେଳିଗଲା । ସେ ଭାବରାଜ୍ୟକୁ ଚାଲିଗଲେ ।

 

ଆରମ୍ଭ ହେଲା କବିତାରଚନା । ତାଙ୍କ ମନକୁ କବି ଭାବ ଆସିଲା । ସେ ରାଧାକୃଷ୍ଣଙ୍କ ବିଷୟରେ କବିତା ଲେଖି ଚାଲିଲେ ।

 

ଦିନଦିନ ବସି ସେ କବିତା ଲେଖନ୍ତି । ଲେଖିସାରି ପଦ୍ମାବତୀଙ୍କୁ ଶୁଣାନ୍ତି I ପଦ୍ମାବତୀ ତାକୁ ଗୀତରେ ଗାଆନ୍ତି । ସଂଜହୁଏ । ଠାକୁରଙ୍କ ପାଖରେ ଆଳତି କରାଯାଏ । ସେତେବେଳେ ଜୟଦେବଙ୍କ ଲେଖା ଗୀତ ବୋଲନ୍ତି ପଦ୍ମାବତୀ ।

 

କିଛିଦିନ ଚାଲିଗଲା । ଜୟଦେବ ଫେରିଲେ ତାଙ୍କ ଗାଁ କେନ୍ଦୁଲିକୁ । ପଦ୍ମାବତୀଙ୍କ ସହ ରହିଲେ ଗାଁ କେନ୍ଦୁଲିକୁ । ସେଇଠି ରହି ସେ କବିତା ଲେଖିଲେ । ସେ କବିତା ବହିର ନା ‘ଗୀତ ଗୋବିନ୍ଦ’ ଗୀତ ଗୋବିନ୍ଦରେ କେବଳ ରାଧାକୃଷ୍ଣଙ୍କ କଥା ଲେଖାଯାଇଛି । ରାଧା କୃଷ୍ଣଙ୍କ ମାନ, ଅଭିମାନ, ମିଳନ ଓ ମାନଭଂଜନର ବର୍ଣ୍ଣନା କରାଯାଇଛି ଏହି କାବ୍ୟରେ ।

 

ସବୁଦିନ ପରି ଏକ ସକାଳ । ଜୟଦେବ ହାତରେ ପୋଥି ଧରି ବସିଛନ୍ତି । କବିତା ଲେଖା ଚାଲିଛି । ହଠାତ୍‌ ସେ ଅଟକି ଗଲେ । କିଛି ସମୟ ବସି ଭାବିଲେ । ତାପରେ ଲେଖା ବନ୍ଦ କରିଦେଲେ । କେବଳ ବସି ରହିଲେ । ସେ ଗୋଟିଏ କଥା ଲେଖିବାକୁ ଭାବୁଥିଲେ । ମାତ୍ର ତାକୁ ଲେଖୁ ପାରୁ ନଥିଲେ । ତାଙ୍କ ମନକୁ କଥାଟା ଭଲ ଲାଗୁନଥିଲା । ଲେଖିବାଟା ଠିକ୍‌ ହେବ ନାହିଁ ବୋଲି ମନେ ହେଉଥିଲା ।

 

ଶ୍ରୀରାଧା ଅଭିମାନ କରିଛନ୍ତି ଶ୍ରୀକୃଷ୍ଣଙ୍କ ଉପରେ । ଶ୍ରୀକୃଷ୍ଣ ଆସିଲେ । ଅନେକ ବୁଝାଇଲେ । ଶ୍ରୀରାଧାଙ୍କ ଅଭିମାନ ଭାଙ୍ଗୁନାହିଁ । ଶ୍ରୀକୃଷ୍ଣ ବହୁ ଅନୁମୟ କରିଛନ୍ତି । ଶ୍ରୀରାଧା କିନ୍ତୁ ନିରବ । ଶେଷକୁ ସେ ତାଙ୍କ ପାଦ ଧରି ପକାଉଛନ୍ତି ।

 

ଏଇ ପାଦ ଧରିବା କଥା ସେ ଲେଖି ପାରୁନଥାନ୍ତି । ସେ ବହୁସମୟ ବସି ଭାବିଲେ । ଶେଷ ଯାଏ ମନକୁ କଥାଟା ଭଲ ଲାଗିଲା ନାହିଁ । ସେ ଲେଖା ବନ୍ଦ କରିଦେଲେ ।

 

ସେତେବେଳକୁ ଗାଧୁଆ ବେଳ ହୋଇଯାଇଥିଲା । ପଦ୍ମାବତୀ ଆସିଲେ ଏକଥା କହିବାକୁ । ଜୟଦେବ ପଦ୍ମାବତୀଙ୍କୁ କହିଲେ ସବୁ କଥା । ପଦ୍ମାବତୀ କହିଲେ, ଆଜି ଲେଖା ଏଇଠି ବନ୍ଦ କର । ଗାଧୋଇ ଖାଇ ସାର, ତାପରେ ଲେଖିବ ।

 

ଜୟଦେବ ପୋଥି ଓ ଲେଖନୀ ବଢ଼ାଇ ଦେଲେ ପଦ୍ମାବତୀଙ୍କ ହାତକୁ । ଚାଲିଲେ ଗାଧୋଇବାକୁ ।

 

ଅଳ୍ପ ସମୟ ପରେ ସେ ଫେରି ଆସିଲେ । ପଦ୍ମାବତୀ ତାଙ୍କ ପାଇଁ ଖାଇବାକୁ ବାଢ଼ି ଦେଲେ । ସେ ଖୁବ୍‌ କମ୍‌ ଖାଇ ଉଠିଗଲେ । ପୋଥି ଆଣି କ’ଣ ଲେଖିଲେ । ତାପରେ ପୋଥିକୁ ରଖିଦେଲେ । ଗଲେ ଶୋଇବା ପାଇଁ । ପଦ୍ମାବତୀ ଜୟଦେବଙ୍କ ପତରରେ ଖାଇବାକୁ ବସିଲେ ।

 

ଏତିକି ବେଳେ ଜୟଦେବ ବାହାରୁ ଆସିଲେ । ସେ ଗାଧୋଇ ସାରି ଓଦା ଲୁଗାରେ ଆସିଥାନ୍ତି । ସେ ଦେଖ‌ିଲେ ପଦ୍ମା ଖାଉଛନ୍ତି । ଦିନେ କାଳେ ଏପରି କଥା ହୋଇନାହିଁ । ଜୟଦେବ ଆଗେ ଖାଆନ୍ତି । ତାପରେ ସେ ଖାଆନ୍ତି । ଆଜି ଏକଥା ଦେଖି ଜୟଦେବ ଆଚମିତ

ହୋଇଗଲେ ।

 

ଜୟଦେବଙ୍କୁ ଓଦା ଲୁଗାରେ ଦେଖି ଆହୁରି ଆଚମିତ ହେଲେ ପଦ୍ମାବତୀ । ସେ ଦେଖ‌ିଲେ ଜୟଦେବ ଖାଇସାରି ପୋଥିରେ କ’ଣ ଲେଖିଲେ । ତାପରେ ଗଲେ ଶୋଇବାକୁ । ଏବେ ସେ ଦେଖୁଛନ୍ତି ଜୟଦେବ ଗାଧୋଇ ଓଦା ଲୁଗାରେ ଠିଆ ହୋଇଛନ୍ତି ।

 

ସେ ଦଉଡ଼ିଲେ ଘର ଭିତରୁକୁ । ଏ କ’ଣ ? ଘରେ ଯେ କେହି ନାହାନ୍ତି । ଘର ଖାଲି । କିନ୍ତୁ ଏଇ ଘର ଭିତରେ ଶୋଇବାକୁ ଆସିଥିଲେ ଜୟଦେବ । ସେ ଘର ମହମହ ବାସୁଛି । ଫୁଲ ଓ ଚନ୍ଦନର ବାସନାରେ ମହକି ଉଠୁଛି ଘର ଭିତର ।

 

ଜୟଦେବ ଶୁଣିଲେ ସବୁ କଥା । ସେ ଆନନ୍ଦରେ ଅଧୀର ହୋଇ ପଡ଼ିଲେ । ତାଙ୍କ ଆଖିରୁ ଧାର ଧାର ଲୁହ ଝରିଗଲା । ସେ ଆଣିଲେ ପୋଥି । ସେ ଲେଖା ବନ୍ଦ କରିଥିଲେ ଗୋଟିଏ ଜାଗାରେ ସେଇଠି ଲେଖାଯାଇଛି ଗୋଟିଏ ଧାଡ଼ି- ‘‘ଦେହି ପଦ ପଲ୍ଲବ ମୁଦାର’’ ମୋତେ ତମ ପାଦ ପଦ୍ମ ଧରିବାକୁ ଦିଅ ।

 

ଏଇ ପଦଟି ସେ ଲେଖିବାକୁ ମନ କରିଥିଲେ । ମାତ୍ର ଲେଖି ପାରି ନଥିଲେ ।

 

ଜୟଦେବଙ୍କ ଦେହ ଉଲସି ଉଠିଲା । ସେ କହିଲେ — “ପଦ୍ମା ତମେ ଧନ୍ୟ, ତମ ଜୀବନ ଧନ୍ୟ ହୋଇଗଲା । ମୋ ରୂପରେ ଆଜି ସ୍ଵୟଂ ଶ୍ରୀକୃଷ୍ଣ ଆସିଥିଲେ । ତାଙ୍କ ନିଜ ହାତରେ ସେ ଏତକ ଲେଖି ଦେଇଯାଇଛନ୍ତି । ସେ ଆସି ତମ ହାତ ପରଶା ଭାତ ଖାଇକରି ଯାଇଛନ୍ତି । ତମେ ତାଙ୍କୁ ଦେଖାପାଇଛ । ତମେ ଧନ୍ୟ ହୋଇ ଯାଇଛ ।”

 

ଏହା କହି ସେ ଧାଇଁଗଲେ ପଦ୍ମାଙ୍କ ପତର ପାଖକୁ । ସେ ପତରରେ ଥ‌ିବା ଭାତକୁ ଖାଇବାକୁ ଲାଗିଲେ । ପଦ୍ମା ତାଙ୍କୁ ବାରଣ କଲେ । ମାତ୍ର ଜୟଦେବ ସେ ବାରଣ ମାନିଲେ ନାହିଁ । ସେ ଅଇଁଠା, ପ୍ରଭୁଙ୍କ ଅଇଁଠା । ତାକୁ ସେ ଆନନ୍ଦରେ ଖାଇଦେଲେ ।

 

ଏ କଥା ଲୋକମାନେ ଜାଣିଲେ । ସେମାନେ ଜୟଦେବଙ୍କ ମହିମା ଜାଣିଲେ । ତାଙ୍କ ଜୟଗାନ କରିବାକୁ ଲାଗିଲେ । ତାଙ୍କ କବିତାକୁ ଆଦର କଲେ । କିଛି ଦିନ ପରେ ଜୟଦେବ ଫେରିଲେ ପୁରୀ । ‘ଗୀତ ଗୋବିନ୍ଦ’ ଲେଖା ଚାଲିଥାଏ । ସେ ଗୋଟିଏ ଛାନ୍ଦ ଲେଖନ୍ତି । ପଦ୍ମାବତୀ ତାକୁ ଗାଆନ୍ତି । ଗାଇବା ସହ ନାଚନ୍ତି । ଜୟଦେବ ମୃଦଙ୍ଗ ବଜାନ୍ତି । ବଡ଼ଦେଉଳରେ ଏ ଗୀତ ବୋଲାଯାଏ । ଜଗନ୍ନାଥଙ୍କ ଆଗରେ । ଭକ୍ତମାନେ ଶୁଣନ୍ତି । ସମସ୍ତେ ଜୟଦେବଙ୍କୁ

ପ୍ରଶଂସା କରନ୍ତି ।

 

ସାରା ରାଇଜରେ ଜୟଦେବଙ୍କ ଗୀତ ଗୋବିନ୍ଦର ନାଁ ହୋଇଗଲା । ସବୁଆଡ଼େ ତାଙ୍କୁ ପ୍ରଶଂସା କଲେ ଲୋକମାନେ । ଜୟଦେବଙ୍କ ପିଲାଦିନର ସାଙ୍ଗ ପରାଶର । ତାଙ୍କ କାନରେ ପଡ଼ିଲା ଜୟଦେବ ପ୍ରଶଂସା । ସେ ଆସିଲେ ପୁରୀ । ପହଞ୍ଚିଲେ ଜୟଦେବଙ୍କ ପାଖରେ । ପିଲାଦିନର ଦୁଇସାଙ୍ଗଙ୍କ ମିଳନ ହେଲା । ଜୟଦେବ ବହୁତ ଖୁସି ହେଲେ । ପରାଶର ରହିଲେ ଜୟଦେବଙ୍କ ପାଖରେ । ତାଙ୍କ କଣ୍ଠ ଖୁବ୍‌ ମଧୁର । ସେ ମଧ୍ୟ ଗୀତଗୋବିନ୍ଦ ଗାଇଲେ ।

 

ବଡ଼ଦେଉଳରେ ଗୀତଗୋବିନ୍ଦ ଗାନ କରାଗଲା । ସବୁଦିନ ରାତିରେ ପଦ୍ମାବତୀ ଜଗନ୍ନାଥଙ୍କ ପାଖରେ ଗୀତଗୋବିନ୍ଦ ବୋଲନ୍ତି ।

 

ପୁରୀର ଗଜପତି ଥାଆନ୍ତି ପୁରୁଷୋତ୍ତମ ଦେବ । ସେ ଆସିଥିଲେ ବଡ଼ଦେଉଳକୁ  । ସେ ଗୀତଗୋବିନ୍ଦ ଶୁଣିଲେ । ପୁରୁଷୋତ୍ତମ ଦେବ ଥିଲେ ଜଣେ କବି । ସଂସ୍କୃତ ଭାଷାରେ ତାଙ୍କର ଦଖଲ ଥିଲା । ତାଙ୍କ ମନକୁ ଗୀତଗୋବିନ୍ଦ ଘେନିଲା ନାହିଁ । ଏ ଗୀତରେ ପ୍ରେମର ବହୁତ ବର୍ଣ୍ଣନା ଥିଲା । ରାଧାକୃଷ୍ଣଙ୍କ ପ୍ରେମ ବିଷୟ କୁହାଯାଇଥିଲା ।

 

ତାଙ୍କ କାନରେ ଏକଥା ପଡ଼ିଥିଲା । କେତେକ ପଣ୍ଡିତ ତାଙ୍କୁ ଏ ବିଷୟ ଜଣାଇଥିଲେ । ଏପରି ଗୀତ ଜଗନ୍ନାଥଙ୍କ ଆଗରେ ବୋଲା ହେବ ଠିକ୍‌ ନୁହେଁ ବୋଲି ସେମାନେ କହିଥିଲେ ।

 

ଏବେ ରାଜା ନିଜେ ଶୁଣିଲେ । ସେ ଆଦେଶ ଦେଲେ ମନ୍ଦିରର ପୂଜକଙ୍କୁ । ଏଣିକି ଗୀତଗୋବିନ୍ଦ ଶ୍ରୀମନ୍ଦିରରେ ବୋଲା ଯିବ ନାହିଁ । ସେହି ଦିନରୁ ଏ ଗୀତ ବୋଲା ବନ୍ଦ

ହୋଇଗଲା ।

 

ସେ ଯୁଗରେ ଗାଁ ଗାଁରେ ଭାଗବତ ଘର ଥିଲା । ନାଟ, ଆଖଡ଼ା ଓ କୀର୍ତ୍ତନ ଦଳ ଥିଲା । ସଂଜ ହେଲେ ଗାଁ ଲୋକେ ଭାଗବତ ଘରକୁ ଆସନ୍ତି । ଭାଗବତ ପଢ଼ାଯାଏ । କୀର୍ତ୍ତନ କରାଯାଏ । ଲୋକମାନେ ଶୁଣନ୍ତି । ଏଇଠି ମଧ୍ୟ ଗୀତଗୋବିନ୍ଦ ବୋଲା ଯାଏ । ଲୋକମାନେ ଏ ଗୀତର ଅର୍ଥ ବୁଝିପାରନ୍ତି ନାହିଁ I ତଥାପି ଲୋକଙ୍କୁ ଭଲ ଲାଗେ । ଲୋକେ ଜୟଦେବଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି । ବଡ଼ଦେଉଳରେ ଗୀତ ଗୋବିନ୍ଦ ବୋଲା ବନ୍ଦ ହୋଇଗଲା । ଗାଁ ମାନଙ୍କରେ କିନ୍ତୁ ବନ୍ଦ ହେଲା ନାହିଁ ।

 

ବଡ଼ଦେଉଳର ସବୁ ନୀତି ସରେ । ତାପରେ ଦେଉଳରେ ମୁଦ ଦିଆଯାଏ । ସକାଳ ହେଲେ ଖୋଲେ । ତାପରେ ପୂଜା ଆରମ୍ଭ ହୁଏ ।

 

ଦିନକର ସକାଳ । ମୁଦ ଖୋଲାଗଲା । ଆରମ୍ଭ ହେଲା ଠାକୁରଙ୍କ ପୂଜା । ଦେଖାଗଲା ଠାକୁରଙ୍କ ଲୁଗା ଚିରି ଯାଇଛି । ଚିରା ଜାଗାରେ ବାଇଗଣ କଣ୍ଟା ଲାଗିଛି ।

 

ବଡ଼ ଆଚମିତ କଥା ! ଠାକୁରଙ୍କର କେଡ଼େ ଦାମିକା ଲୁଗା । କେଡ଼େ ଯତନରେ ତାହା ରଖାଯାଏ । ତାହା ଚିରିଗଲା କିପରି ? ସେଥ‌ିରେ ବାଇଗଣ କଣ୍ଟା ପୁଣି ଆସିଲା କୁଆଡ଼ୁ ?

 

ବଡ଼ ପଣ୍ଡାଙ୍କ ମଥା ଘୂରିଗଲା, ସେମାନେ ଗଜପତିଙ୍କୁ ଏକଥା ଜଣାଇଲେ ।

 

ସେଦିନର ରାତି । ଗଜପତି ପୁରୁଷୋତ୍ତମ ଦେବ ଶୋଇଛନ୍ତି । ସପନରେ ଜଗନ୍ନାଥ ତାଙ୍କୁ କହିଲେ । “ରାଜା, ଜୟଦେବ ମୋର ଭକ୍ତ । ତା’ର ରଚନା ଗୀତଗୋବିନ୍ଦ ମୋର ପ୍ରିୟ । ତୁ ଗୀତଗୋବିନ୍ଦ ବୋଲିବାକୁ ମନା କଲୁ । ସେ ଗୀତ ନ ଶୁଣିଲେ ମୋର ନିଦ ହୁଏ ନାହିଁ । ଯେଉଁ ଜାଗାରେ ସେ ଗୀତ ବୋଲାଯାଏ । ମୁଁ ସେଇଠିକି ଚାଲିଯାଏ । ଗତ ରାତିରେ ମାଳୀଝିଅଟି ବାଇଗଣ କିଆରୀରେ ଏ ଗୀତ ବୋଲୁଥିଲା । ମୁଁ ସେଠାକୁ ଯାଇଥିଲି । ସେ ଝିଅ ପଛେ ପଛେ ଯାଇ ତା ଗୀତ ଶୁଣୁଥିଲି । ସେଇଠି ବାଇଗଣ କଣ୍ଟା ଲାଗିଗଲା । ମୋର ଲୁଗା ଚିରିଗଲା ।’’

 

ସକାଳ ହେଲା । ରାଜା ଖବର ନେବାକୁ ଲୋକ ପଠାଇଲେ । ସେ ଜାଣିଲେ ସତରେ ମାଳୀ ଝିଅଟିଏ ରାତିରେ ବାଇଗଣ କିଆରୀରେ ଗୀତଗୋବିନ୍ଦ ଗାଉଥିଲା ।

 

ରାଜା ବହୁତ ଦୁଃଖ କଲେ । ସେ କେଡ଼େ ବଡ଼ ଭୁଲ୍‌ଟାଏ କରି ପକାଇଲେ ! ଠାକୁରଙ୍କ ମନରେ କଷ୍ଟ ଦେଲେ ! ତାଙ୍କୁ ଭଲ ଲାଗୁଥିଲା ଗୀତଗୋବିନ୍ଦ । ସେ ତାହା ବୋଲିବାକୁ ବାରଣ କରିଦେଲେ । ରାଜା ବହୁତ ଅନୁତାପ କଲେ ।

 

ସେ ନିଜେ ଗଲେ ଜୟଦେବଙ୍କ ପାଖକୁ । ତାଙ୍କୁ ସବୁକଥା କହିଲେ । ଭୁଲ ମାନିଲେ । ଅନୁରୋଧ କଲେ ସେ ସବୁଦିନେ ଗୀତଗୋବିନ୍ଦ ଗାଇବେ ଆଗପରି । ସେ ପଦ୍ମାବତୀଙ୍କୁ ଦେବଦାସୀ ଭାବେ ଶାଢ଼ି ଦେଲେ । ସକାଳ ଧୂପ ବେଳେ ପଦ୍ମାବତୀ ନାଚ କରିବେ । ନାଚ ସହିତ ଗୀତ ଗୋବିନ୍ଦ ବୋଲାଯିବ । ରାତି ଭୋଗବେଳେ ଜୟଦେବ ଗୀତଗୋବିନ୍ଦ ବୋଲିବେ ।

 

ଏକଥା ପ୍ରଘଟ ହୋଇଗଲା । ରାଇଜ ସାରା ଲୋକ ଜାଣିଲେ । ସେମାନେ ଜୟଦେବଙ୍କୁ ଧନ୍ୟ ଧନ୍ୟ କଲେ I ଲୋକେ କୁହାକୁହି ହେଲେ— ଜୟଦେବ ଗୋସେଁଇ ସତେ କେଡ଼େ ଭକ୍ତ ! ତାଙ୍କ ଗୀତ ଜଗନ୍ନାଥ ଠାକୁର ଶୁଣିବାକୁ ଝୁରି ହେଉଛନ୍ତି ! ଆହା, ଧନ୍ୟ କହିବା ତାଙ୍କୁ ।

 

ଏକଥା ସାରା ଦେଶର ଲୋକେ ଜାଣିଲେ । ଭାରତରେ ଅନେକ ସାଧୁ ସନ୍ଥ ଥିଲେ । ସେମାନେ ଜୟଦେବଙ୍କୁ ପ୍ରଶଂସା କଲେ । ଜୟଦେବ ଜଣେ ସାଧୁ ମହାତ୍ମା ବୋଲି ଗଣା ହେଲେ । ଅନ୍ୟ ଭାଷାରେ ଜୟଦେବଙ୍କ ବିଷୟରେ ବହି ଲେଖାଗଲା । ସେଥ‌ିରେ ଜୟଦେବଙ୍କ ଭକ୍ତି ଭାବ କଥା ରଖାଗଲା ।

 

ସଂସ୍କୃତ ଭାଷାରେ ବହିଟିଏ ଲେଖାଯାଇଛି । ତା’ର ଲେଖକ ଚନ୍ଦ୍ରଦତ୍ତ । ବହିର ନାଁ “ଭକ୍ତମାଳା’’ । ସେ ବହିରେ ଜୟଦେବଙ୍କ କଥା ରହିଛି । ଗୀତଗୋବିନ୍ଦ ଓ ଜୟଦେବଙ୍କ ବିଷୟରେ ଗୋଟିଏ କାହାଣୀ ସେଥିରେ ଲେଖାଯାଇଛି ।

 

ଗଜପତି ପୁରୁଷୋତ୍ତମ ଦେବ ସଂସ୍କୃତ ଭାଷା ଜାଣିଥିଲେ । ସେ “ଅଭିନବ ଗୀତଗୋବିନ୍ଦ’’ ନାମରେ ଗୋଟିଏ କାବ୍ୟ ଲେଖିଥିଲେ । ଜୟଦେବଙ୍କ ଲେଖା ଗୀତଗୋବିନ୍ଦ ତାଙ୍କୁ ଭଲ ଲାଗିଲା ନାହିଁ । ସେ କହିଲେ ଏପରି ଲେଖା ଠାକୁରଙ୍କ ପାଖରେ ବୋଲାଯିବା ଠିକ୍‌ ନୁହେଁ । ସେ ଘୋଷଣା କଲେ ବଡ଼ଦେଉଳରେ ଏ ଗୀତ ବୋଲାଯିବ ନାହିଁ । ରାଇଜରେ ମଧ୍ୟ ଏହା କେହି ବୋଲି ପାରିବେ ନାହିଁ ।

 

ଦିନକର କଥା । ଗଜପତି ବଡ଼ଦେଉଳକୁ ଆସିଥିଲେ । ସେ ଦେଖ‌ିଲେ ଜୟଦେବ ଗୀତଗୋବିନ୍ଦ ବୋଲୁଛନ୍ତି । ପଦ୍ମା ନାଚୁଛନ୍ତି । ସେମାନେ ରାଜାଙ୍କ ଆଦେଶ ଅମାନ୍ୟ କରିଛନ୍ତି । ଏହା ଗଜପତିଙ୍କୁ ବାଧିଲା ।

 

ଜୟଦେବଙ୍କୁ ରାଜସଭାକୁ ଡକାଗଲା । ତାଙ୍କୁ ପଚରାଗଲା ସେ ରାଜାଙ୍କ ଆଦେଶ ନମାନିଲେ କାହିଁକି ।

 

ଜୟଦେବ କହିଲେ “ଗୀତ ଗୋବିନ୍ଦ”କୁ ପ୍ରଭୁ ଜଗନ୍ନାଥ ବହୁତ ଭଲ ପାଆନ୍ତି । ତେଣୁ ତାଙ୍କୁ ଶୁଣାଉଥିଲି ।’’

 

ଗଜପତି ପଚାରିଲେ, ‘‘ଜଗନ୍ନାଥ ତମ ଗୀତ ଗୋବିନ୍ଦକୁ ଭଲ ପାଆନ୍ତି ବୋଲି କିପରି ଜାଣିଲ ? ଏହାର ପ୍ରମାଣ ଦେଇ ପାରିବ ?’’

 

ଜୟଦେବ କହିଲେ, ସେ ତାର ପ୍ରମାଣ ଦେବେ । ଗୀତ ଗୋବିନ୍ଦ ଓ ଅଭିନବ ଗୀତ ଗୋବିନ୍ଦ ଠାକୁରଙ୍କ ରତ୍ନ ସିଂହାସନରେ ରଖାଯିବ । ଦେଉଳ ମୁଦ ହେବ । ସକାଳେ ଦେଖାଯିବ ଠାକୁରେ କାହାକୁ ଭଲ ପାଆନ୍ତି ।

 

ସେଇଆ ହେଲା । ପୋଥି ଦୁଇଟିକୁ ରତ୍ନ ବେଦୀ ଉପରେ ରଖାଗଲା । ଦେଉଳ ମୁଦ ହେଲା । ସଭିଏଁ ଫେରିଲେ ଘରକୁ ।

 

ସକାଳ ହେଲା । ସମସ୍ତଙ୍କ ଆଗରେ ଦେଉଳ ମୁଦ ଖୋଲାଗଲା । ଦେଖାଗଲା ଅଭିନବ ଗୀତ ଗୋବିନ୍ଦ ରହିଛି ବେଦୀ ଉପରେ । ଆଉ ଗୀତଗୋବିନ୍ଦ ରହିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ-। ଏହା ଦେଖି ସମସ୍ତେ ଆଚମିତ ହୋଇଗଲେ । ସମସ୍ତେ ଜୟଦେବଙ୍କୁ ବାହା ବାହା କଲେ ।

 

ଗଜପତି ପୁରୁଷୋତ୍ତମ ଏକଥା ନିଜେ ଦେଖିଲେ । ସେ ବହୁତ ଲାଜ ପାଇଲେ । ତାଙ୍କୁ ଏକଥା ବହୁତ ବାଧିଲା । ସେ ତାଙ୍କ ପୋଥିକୁ ହାତରେ ଧରିଲେ । ଗଲେ ସମୁଦ୍ର କୁଳକୁ । ସେଠାରେ ସେ ଉଜେଁଇ ଦେବେ ତାଙ୍କ ଅଭିନବ ଗୀତ ଗୋବିନ୍ଦ ପୋଥିକୁ ।

 

ଜୟଦେବଙ୍କ ମନରେ ଦୁଃଖ ହେଲା । ଗଜପତି ସ୍ଵୟଂ ଠାକୁରଙ୍କ ପ୍ରତିନିଧି । ସେ କେତେ କଷ୍ଟ କରି ଏ କାବ୍ୟ ଲେଖିଛନ୍ତି । ଏହାକୁ ସମୁଦ୍ରରେ ଉଜେଇଁ ଦେବା ଠିକ୍‌ ହେବ ନାହିଁ । ସେ ଧାଇଁଗଲେ ସମୁଦ୍ରକୂଳକୁ । ଗଜପତିଙ୍କୁ ଗୁହାରୀ କଲେ । ସେ କହିଲେ “ଅଭିନବ ଗୀତଗୋବିନ୍ଦ’’ ରୁ ବାରଗୋଟି ଶ୍ଳୋକ ବଛାଯିବ । ସେଗୁଡ଼ିକ ରହିବ ଗୀତଗୋବିନ୍ଦରେ ।

 

ରାଜା ଏଥିରେ ରାଜି ହେଲେ । ‘‘ଅଭିନବ ଗୀତଗୋବିନ୍ଦ’’ ରୁ ବାରଟି ଶ୍ଳୋକ ବଛାଗଲା । ତାହା ଜୟଦେବଙ୍କ ଗୀତଗୋବିନ୍ଦରେ ରହିଲା ।

 

ଗଜପତି ପୁରୁଷୋତ୍ତମ ଦେବ ଜୟଦେବଙ୍କ ଉପରେ ସନ୍ତୁଷ୍ଟ ହେଲେ । ତାଙ୍କୁ ସେ ଜଗନ୍ନାଥଙ୍କ ସେବା ପୂଜାର ଅଧିକାର ଦେଲେ । ଏ ସେବାକୁ ‘ଗୀତଗୋବିନ୍ଦ ସେବା’ ବା ‘ପୁରାଣିକ ସେବା’ କହନ୍ତି । ଏହା ଫଳରେ ସକାଳ ଧୂପ ବେଳେ ଗୀତଗୋବିନ୍ଦ ବୋଲାଯାଏ । ବର୍ତ୍ତମାନ ମଧ୍ୟ ଏ ସେବା ଚାଲୁଛି । ବ୍ରାହ୍ମଣ ସେବକମାନେ ଏହା ବୋଲୁଛନ୍ତି ।

 

ଗୁଣ୍ଡିଚାଘରକୁ ଆଡ଼ପ ମଣ୍ଡପ କୁହାଯାଏ । ଏହା ଠାକୁରଙ୍କ ଜନମଥାନ । ଏହିଠାରେ ଦାରୁରୁ ଜଗନ୍ନାଥ ଗଢ଼ା ଯାଇଥିଲେ । ଏହି ଆଡ଼ପ ମଣ୍ଡପ ପାଖରେ ଖଣ୍ଡିଏ ଜାଗା ମିଳିଲା । ରାଜା ସେ ଜାଗାକୁ ଜୟଦେବଙ୍କୁ ଦାନ କଲେ । ସେଠାରେ ଜୟଦେବ ମଠଟିଏ କଲେ । ମଠରେ ଗୋଟିଏ ମନ୍ଦିର ତୋଳାହେଲା । ଏହି ମନ୍ଦିରର ମୁହଁ ଉତ୍ତର ଦିଗକୁ ରହିଛି । ଏଠାରେ ରାଧାମାଧବ ଠାକୁରଙ୍କୁ ରଖାଗଲା । ତାଙ୍କର ପୂଜା ଆରାଧନା କରାଗଲା ।

 

ଜୟଦେବ ରହିଲେ ଏହି ମଠରେ । ତାଙ୍କ ସହ ରହିଲେ ପଦ୍ମାବତୀ । ଦୁହେଁ ମିଶି ରାଧାମାଧବଙ୍କ ସେବା ପୂଜା କଲେ । ବଡ଼ଦେଉଳକୁ ଯାଇଁ ଜଗନ୍ନାଥଙ୍କ ସେବା ମଧ୍ୟ ଖଟିଲେ ।

 

ଅନେକ ଦିନ ଚାଲିଗଲା । ଜୟଦେବ ଚାହିଁଲେ ସେ ବୃନ୍ଦାବନ ଯିବେ । ବୃନ୍ଦାବନ ରାଧାମାଧବ ଶ୍ରୀକୃଷ୍ଣଙ୍କ ନିତ୍ୟବିହାର ଭୂଇଁ । ସେଠାରେ ସେ କାଟିବେ ଶେଷଜୀବନ । ଏକଥା ସେ ଗଜପତିଙ୍କୁ ଜଣାଇଲେ ।

 

ଗଜପତି ତାଙ୍କୁ ବହୁତ ଭଲ ପାଉଥିଲେ । ସେ ତାଙ୍କ ଯିବାର ବ୍ୟବସ୍ଥା କରିଦେଲେ । ବୃନ୍ଦାବନ ପୁରୀ ଠାରୁ ବହୁତ ଦୂର ବାଟ । ସେତେବେଳେ ନଥିଲା ରେଳ ବା ମଟର । ପାଦରେ ଚାଲି ଚାଲି ଯିବାକୁ ପଡ଼ୁଥିଲା । ଜୟଦେବଙ୍କ ବୟସ ହୋଇଯାଇଥିଲା । ପାଦରେ ଗଲେ ସେ ଯାଇ ପାରିବେ ନାହିଁ । ଗଜପତି ତାଙ୍କ ପାଇଁ ସବାରୀର ବ୍ୟବସ୍ଥା କରିଦେଲେ ।

 

ଯିବାର ସବୁ ବ୍ୟବସ୍ଥା ହୋଇଗଲା I ଜୟଦେବ ଚାହିଁଲେ ସେ ଥରେ ଗାଁକୁ ଯିବେ । ତାଙ୍କ ଜନମଥାନ କେନ୍ଦୁଲି ଗାଁର ଲୋକମାନଙ୍କୁ ଦେଖା କରିବେ । ଏଇ ଦେଖା ତାଙ୍କର ହେବ ଶେଷ ଦେଖା ।

 

ସେ ଯାଇଁ କେନ୍ଦୁଲିରେ ପହଞ୍ଚିଲେ । ଗାଁର ଲୋକମାନେ ବହୁତ ଖୁସି ହେଲେ । ଜୟଦେବ ଗୋସେଁଇ ଜଣେ ବହୁତ ବଡ଼ ସାଧୁ । କେତେ ନାଁ କମେଇଲେଣି । ସାରା ମୁଲକ ଲୋକେ ତାଙ୍କୁ ଆଦର କରୁଛନ୍ତି । ଗାଁର ଲୋକେ ଖୁସି ହେବା କଥା । ସେମାନେ ଜୟଦେବଙ୍କୁ ବହୁତ ଅଭ୍ୟର୍ଥନା କଲେ ।

 

ଜୟଦେବ କିଛିଦିନ ରହିଲେ ଗାଁରେ । କେନ୍ଦୁଲି ଗାଁରେ ବୁଣାକାରମାନେ ଥାଆନ୍ତି । ସେମାନେ ତନ୍ତରେ ଲୁଗା ବୁଣନ୍ତି । ଏଇ ଲୁଗାରେ ଜାତିଜାତିର ଚିତ୍ର କରନ୍ତି ସେମାନେ । ସେପ୍ରକାର ଲୁଗାକୁ ବାନ୍ଧ ବୁଣା କୁହାଯାଏ ।

 

ଜୟଦେବ ବୁଣାକାରମାନଙ୍କୁ ଡାକିଲେ । କହିଲେ ତମେ ଲୁଗାରେ ଚିତ୍ର ଆଙ୍କି ପାରୁଛ । ଅକ୍ଷର ଲେଖି ପାରିବ ନାହିଁ ? ସେମାନେ କହିଲେ, ସେମାନେ ଅକ୍ଷର ଲେଖି ପାରିବେ । ଜୟଦେବ କହିଲେ । ଲୁଗାରେ ଗୀତଗୋବିନ୍ଦ ବୁଣିଦିଅ । ସେଇ ଶାଢ଼ିଟି ମୁଁ ଜଗତରନାଥ ଜଗନ୍ନାଥଙ୍କୁ ପିନ୍ଧାଇବି ।

 

ସେଦିନ ଥିଲା ରାଧାଷ୍ଟମୀ । ନୂଆ ତନ୍ତରେ ଲୁଗା ବୁଣା ଆରମ୍ଭ ହେଲା । ଜୟଦେବ ବସିଲେ ତନ୍ତ ପାଖରେ । ପଦକୁ ପଦ ବୋଲିଲେ । ତାକୁ ଶୁଣି ବୁଣାକାରମାନେ ଲୁଗାରେ ଅକ୍ଷର ଫୁଟାଇଲେ । ଏ କାମ ଚାଲିଲା ଦିନ ଦିନ ଧରି ।

 

ଗୀତଗୋବିନ୍ଦ ମୋଟ ବାର ଅଧ୍ୟାୟ । ଦୁଇ ଅଧ୍ୟାୟ ବୁଣା ସରିଲା । ତୃତୀୟ ଅଧ୍ୟାୟ ଆରମ୍ଭ ହେଲା । ଜୟଦେବ ପ୍ରଥମ ଶ୍ଳୋକ ବୋଲିଲେ । ବୋଲୁ ବୋଲୁ ସେ ନିରବ ହୋଇଗଲେ । ତାଙ୍କର ବାହାର ଚେତନା ରହିଲା ନାହିଁ । ତାଙ୍କର ଭାବ ସମାଧି ହୋଇଗଲା ।

 

ବୁଣାକାରମାନେ ଆଉ ବା କରିବେ କ’ଣ ? ସେମାନେ ବସି ରହିଲେ । ଅପେକ୍ଷା କଲେ ସେମାନେ । ଜୟଦେବ ଗୋସେଇଁଙ୍କ ଚେତା ଆସିବ । ତା’ପରେ ଲୁଗା ବୁଣା ଆରମ୍ଭ ହେବ ।

 

ଗାଁ ଦାଣ୍ଡରେ ଶୁଣାଗଲା ଗୋଟିଏ ସ୍ଵର । ଜଣେ ବ୍ରାହ୍ମଣ ହାତରେ ଧରିଥିଲେ ଦୁଇଟି ଷଢ଼େଇ । ତାକୁ ଗିନି କରି ବଜାଉଥିଲେ ସେ । ଆଉ ଗାଉଥିଲେ ଗୀତଗୋବିନ୍ଦ । ପୁଣି ଗୀତ ଗୋବିନ୍ଦର ସେହି ତୃତୀୟ ଛାନ୍ଦଟି ।

 

ବୁଣାକାରମାନେ ଆଚମିତ ହେଲେ । ଏ ଗୀତ ଗୀତଗୋବିନ୍ଦର ପଦ । କବି ଜୟଦେବ ଗୋସେଁଇ ଏଇ ପଦକୁ ବୋଲୁଥିଲେ । ସେ ଧରିଥିଲେ ପୋଥି । ଆଉ ତାକୁ ଦେଖି ଗାଉଥିଲେ । ଏ ବ୍ରାହ୍ମଣ ମନକୁ ଗାଉଛନ୍ତି ସେସବୁ ପଦକୁ କିପରି ?

 

ସେ ବୁଣାକାରମାନେ ବ୍ରାହ୍ମଣଙ୍କ ପାଖକୁ ଗଲେ । ତାଙ୍କୁ ପଚାରିଲେ । ସେ ଏପଦ ସବୁ ଜାଣିଲେ କିପରି ? ବ୍ରାହ୍ମଣ ଗୋସେଇଁ କହିଲେ ମୁଁ ଜୟଦେବଙ୍କ ଭାଇ ! ମୋ ନାଁ ‘କୃଷ୍ଣ ଦେବ’ ହ । ମୋତେ ଗୀତଗୋବିନ୍ଦ ଜଣା । ତମେ ଲୁଗା ବୁଣ । ମୁଁ ବୋଲୁଛି । ଜୟଙ୍କୁ ଉଠାଅ ନାହିଁ । ସେ ବେଳହେଲେ ଆପେ ଆପେ ଉଠିବେ ।

 

ବ୍ରାହ୍ମଣ ଗୋସେଁଇ ପଦ ବୋଲି ଚାଲିଲେ । ବୁଣାକାରମାନେ ଲୁଗା ବୁଣିଲେ । ତନ୍ତ ଚାଲିଲା ବେଳେ କଣ୍ଡା ଚାଲେ । ସେଥ‌ିରୁ ଶବ୍ଦ ଶୁଣାଯାଏ । ଏଇ ଶବ୍ଦରେ ଜୟଦେବଙ୍କର ଚେତା ଫେରିଲା । ସେ ଧୀରେ ଧୀରେ ଉଠିଲେ । ତାଙ୍କୁ ଗୀତଗୋବିନ୍ଦର ପଦ ଶୁଣାଗଲା । ସେ ଉଠି ବସିଲେ ।

 

ଲୋକମାନେ ତାଙ୍କୁ ବେଢ଼ିଗଲେ । ଜୟଦେବ ପଚାରିଲେ ଗୀତଗୋବିନ୍ଦ ବୋଲାଯାଉଥିଲା । କିଏ ଗାଉଥିଲେ ? ଲୋକମାନେ କହିଲେ, ଆପଣଙ୍କ ଭାଇ କୃଷ୍ଣଦେବ । ଏକଥା କହି ସେମାନେ ଖୋଜିଲେ କୃଷ୍ଣଦେବଙ୍କୁ ।

 

କୃଷ୍ଣଦେବ ବସିବା ଜାଗାରେ ନଥିଲେ । ଥୁଆ ହୋଇଥିଲା ସେହି ଷଢ଼େଇ ଦୁଇଟି । ଗାଁ ସାରା ଖୋଜା ଗଲା । କିନ୍ତୁ ତାଙ୍କର ଭେଟ ମିଳିଲା ନାହିଁ ।

 

ଜୟଦେବ ଜାଣିପାରିଲେ । ସେ କହିଲେ ନିଜେ ପ୍ରଭୁ ଜଗନ୍ନାଥ ଆସିଥିଲେ ଏଠାକୁ । ହାତରେ ଷଢ଼େଇ ଧରି ସେ ବୋଲୁଥିଲେ ଗୀତଗୋବିନ୍ଦ । ତମମାନଙ୍କର ପରମ ସୌଭାଗ୍ୟ । ତମେ ଠାକୁରଙ୍କୁ ଆଖିରେ ଦେଖି ପାରିଲ । ମୁଁ କେତେ ଅଭାଗା । ତାଙ୍କର ସେ ରୂପ ଦେଖି ପାରିଲି ନାହିଁ । ସେ ବହୁତ ମନକଷ୍ଟ କଲେ । ଶେଷରେ କହିଲେ, ତମେ ଏ ଷଢ଼େଇ ଦୁଇଟିକୁ ଯତନରେ ରଖ । ତାକୁ ପୂଜା କର । ଏଥ‌ିରେ ଠାକୁରଙ୍କ ହାତ ଲାଗିଛି ।

 

ବୁଣାକାରମାନେ ଲାଗି ପଡ଼ିଲେ ଲୁଗାବୁଣାରେ । ଜୟଦେବଙ୍କ ମନରେ କାମନା ଥିଲା । ଆଷାଢ଼ମାସରେ ରଥଯାତରା-ଶ୍ରୀଗୁଣ୍ଡିଚା । ସେଇ ଦିନ ଠାକୁର ରଥରେ ବସିବେ । ଆସିବେ ଜନମଥାନ ଗୁଣ୍ଡିଚା ମନ୍ଦିର । ସେଇ ଯାତରେ ସେ ଜଗନ୍ନାଥଙ୍କୁ ଗୀତଗୋବିନ୍ଦ ଶାଢ଼ି ପିନ୍ଧାଇବେ ।

 

ଏଣେ ଠାକୁର ରାଜା ଗଜପତିଙ୍କୁ ସ୍ଵପ୍ନ ହେଲା । ସେ ଠାକୁର ରାଜାଙ୍କୁ କହିଲେ, ଜୟଦେବ ମୋ ପାଇଁ ପାଟଲୁଗା ବୁଣାଉଛି । ସେ ଲୁଗାରେ ଗୀତଗୋବିନ୍ଦ ଲେଖେଇଛି । ତମେ ଯାଇଁ ସେ ଲୁଗା ଆଣ । ମୁଁ ରଥରେ ବସିବା ବେଳେ ସେଇ ଲୁଗା ପିନ୍ଧିବି ।

 

ଠାକୁର ରାଜା ଲୋକ ପଠାଇଲେ । ସତକୁ ସତ ଚବିଶହାତ ଲୁଗା ବୁଣାଯାଇଛି । ସେଥ‌ିରେ ଗୀତଗୋବିନ୍ଦର ବାରଟି ଛାନ୍ଦ ଲେଖା ଯାଇଛି । କେନ୍ଦୁଲିରୁ ଲୁଗାକୁ ପୁରୀ ଅଣାଗଲା । ବାଇଦ ମହୁରୀ ବଜାଗଲା । ସେଦିନ ଥିଲା ଖଳିଲାଗି ଏକାଦଶୀ । ସେଇଦିନ ଠାକୁରଙ୍କୁ ଗୀତଗୋବିନ୍ଦ ଶାଢ଼ି ପିନ୍ଧାଗଲା ।

 

ଠାକୁରରାଜା ବହୁତ ଖୁସି ହେଲେ । ସେ ଜୟଦେବଙ୍କୁ କୁଣ୍ଢାଇ ପକାଇଲେ । କହିଲେ, “ଧନ୍ୟ ତମର ଭକ୍ତି, ଧନ୍ୟ ତୁମର ଭାବ । ତମକୁ ପାଇଁ ଆମେ ସବୁ ଧନ୍ୟ ହୋଇଗଲୁ ।” ସେଇଦିନରୁ ରାଜା ଆଦେଶ ଦେଲେ । ସବୁଦିନ ବଡ଼ଶିଙ୍ଗାର ବେଶରେ ଠାକୁରଙ୍କୁ ଏଇ ଲୁଗା ପିନ୍ଧାଯିବ ।

 

ରଥଯାତ ଆଗରୁ ଠାକୁର ଅଣସର ଘରେ ରହନ୍ତି । ଏକାଦଶୀ ଦିନ ଏଇ ଗୀତଗୋବିନ୍ଦ ଲୁଗା ଠାକୁରଙ୍କୁ ଲାଗି ହେବ । କେନ୍ଦୁଲୀର ବୁଣାକାରମାନେ ଶାଢ଼ି ବୁଣିବେ । ଇମିତି ଘଣ୍ଟା କାହାଳି ବାଜିବ । କେନ୍ଦୁଲିରୁ ଲୁଗା ଆସିବ । ଠାକୁରଙ୍କୁ ସବୁଥର ଏଇପରି ଲୁଗା ପିନ୍ଧାଯିବ । ବୁଣାକାରମାନଙ୍କୁ ପାଟଯୋଡ଼ ଦିଆଯିବ ।

 

ରାଜାଙ୍କ ଆଦେଶରେ ଏକଥା ନୀତି ହୋଇଗଲା । ସବୁବରଷ ଏଇ ପ୍ରଥା ଚଳିଲା । ଅଣସର ଘରେ ଠାକୁର ଥିଲା ବେଳେ ଗୀତଗୋବିନ୍ଦ ଖଣ୍ଡୁଆ ଠାକୁରଙ୍କୁ ଲାଗି ହେଉଛି । ଆଉ ସେହି ଷଢ଼େଇ ଦୁଇଟି ପୂଜା ପାଉଛି କେନ୍ଦୁଲି ଗାଁରେ ।

 

ଜୟଦେବ ଫେରିଲେ କେନ୍ଦୁଲିରୁ । ତାପରେ ତାଙ୍କର ଯିବା କଥା ବୃନ୍ଦାବନ । ରାଜା ସବାରୀ ବ୍ୟବସ୍ଥା କରିଦେଲେ । ସାଙ୍ଗରେ ଗଲେ ପଦ୍ମାବତୀ । ଜୟଦେବ ତାଙ୍କ ରାଧାମାଧବ ପ୍ରତିମାକୁ ଧରିଲେ ସାଥିରେ । ଗଲେ ବୃନ୍ଦାବନ ।

 

ଜୟଦେବ ତାଙ୍କ ଶେଷ ଜୀବନ କଟେଇଲେ ବୃନ୍ଦାବନରେ । ସେଠାରେ ସେ ବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣଙ୍କ ନାମ ଭଜନାରେ ମଜିଗଲେ । ସେଦିନ ଥିଲା ମକର ମାସର ଚବିଶ ଦିନ । ଏଇ ଦିନ ସେ ଶେଷ ନିଃଶ୍ଵାସ ଛାଡ଼ିଲେ ।

 

ଜୟପୁରର ରାଜା ଥିଲେ ଶ୍ରୀକୃଷ୍ଣ ଭକ୍ତ । ସେ ଜୟଦେବଙ୍କ ଇଷ୍ଟ ରାଧାମାଧବ ପ୍ରତିମାଙ୍କୁ ନେଇଗଲେ । ରାଜସ୍ଥାନର ଜୟପୁରଠାରେ ସେ ଏକ ମନ୍ଦିର ତୋଳାଇଲେ । ସେଇ ମନ୍ଦିରରେ ଥାପନା କଲେ ରାଧାମାଧବଙ୍କୁ । ଆଜି ବି ସେ ମନ୍ଦିର ରହିଛି । ସେଇଠି ପୂଜା ପାଉଛନ୍ତି ଶ୍ରୀରାଧାମାଧବ ।

 

ଜୟଦେବ ଆଜି ନାହାନ୍ତି । ଅନେକ ଦିନ ହେଲା ସେ ଚାଲିଗଲେଣି । ହେଲେ ରହିଛି ତାଙ୍କ ଲେଖା ‘ଗୀତଗୋବିନ୍ଦ’ । ଯେଉଁ ଗୀତ ଗୋବିନ୍ଦ ଶ୍ରୀଜଗନ୍ନାଥଙ୍କ ମନ କିଣି ନେଇଥିଲା । ସାରା ଦେଶର ଲୋକେ ଗୀତଗୋବିନ୍ଦ ପଢ଼ୁଛନ୍ତି । ସେମାନେ ଜୟଦେବଙ୍କୁ ମନେ ପକାଉଛନ୍ତି । ତାଙ୍କର ଭକ୍ତିଭାବନାକୁ ଗୁଣି ହେଉଛନ୍ତି ।

 

            ଜୟଦେବ ଥିଲେ ଭକ୍ତମାନଙ୍କ ମଉଡ଼ମଣି । ତାଙ୍କ କଥା ପଢ଼ି ଲୋକମାନେ ନିଜକୁ ଧନ୍ୟ ମଣୁଛନ୍ତି । ଓଡ଼ିଶା ଜାତି ଗର୍ବ କରୁଛି ତାଙ୍କ ପାଇଁ । ଜୟଦେବଙ୍କ ଗୁଣଗାନ ଆଜିବି କରାଯାଉଛି । ଓଡ଼ିଶା ଜାତି ଥିବା ଯାଏ ସେ ଅମର ରହିଥିବେ । ଚାଲିଥିବ ତାଙ୍କ ଗୁଣଗାନ । ତାଙ୍କ ଭକ୍ତିଭବାନାର ଜୟ ଜୟକାର ।

 

****